ଭୁବନେଶ୍ୱର: ଆସିକା ଚିନି କଳର ହେବ ପୁନରୁଦ୍ଧାର ଓ ଆଧୁନିକୀକରଣ । ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ । ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ । ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବା ପରେ ଏହାର ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଏହି ଚିନି କଳ ଏକ ପୁରାତନ ଚିନି କଳ । ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି । ତେଣୁ, ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ।‘
ସୂଚନା ଯୋଗ୍ୟ, ଆସିକା ସମବାୟ ଚିନି କଳ ୧୯୫୬ ମସିହାରେ ସ୍ଥାପିତ ହୋଇଥିଲା । ୧୯୬୩ରେ ଏଠାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା । ପରେ ଏହାର କ୍ଷମତା ବୃଦ୍ଧି ହୋଇ ଚିନି ସହ ଅନ୍ୟାନ୍ୟ ପଦାର୍ଥ ମଧ୍ୟ ଉତ୍ପାଦନ କରାଯାଉଛି । କିନ୍ତୁ ବର୍ତ୍ତମାନ ଏହା ଲାଭଜନକ ସ୍ଥିତିରେ ନାହିଁ । ତେଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ନୂଆ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।